କବି ମୁଁ ରଙ୍ଗାଜୀବ

 

 

 

 

 

 

 

 

 

କବି ମୁଁ ରଙ୍ଗାଜୀବ

ଶ୍ରୀ ବିନୋଦ ରାଉତରାୟ

 

 

 

 

 

 

 

 

 

ମୋର ମୁଷିଅପା ଓ ଧ୍ରୁବ ଭାଇଙ୍କ

ହାତରେ ଗଭୀର କୃତଜ୍ଞତାର ଚିହ୍ନ

ସ୍ଵରୂପ ସମର୍ପଣ କଲି................

 

କଦମ୍ଵକ

 

ରାତ୍ରି ଆକାଶ ଆତ୍ମା ବିଦାରି ବିଶ୍ଵ ସଭାକୁ କିଏ ସେ ଆସେ ?

ଧୂଳି ଧୂସରିତ ପବନ ଲହରେ ସ୍ପନ୍ଦନଭରା ଛନ୍ଦ ଭାସେ ।

ଚନ୍ଦ୍ରର ନୀଳ ମେଘ ମହଲଟା ଫାଳ ଫାଳ ହୋଇ ପଡ଼ଇ ଖସି

ଲକ୍ଷ ତାରକା ହୀରାର ଛାଉଣୀ ଅତୁଳ ଆଲୋକେ ଉଠେ ଝଲସି ।

ତରୁ ଲତା ଦେହୁ ତୁଟଇ ତନ୍ଦ୍ରା ଚନ୍ଦ୍ରାଲୋକର ମଜରା ତୁଟେ,

ସବୁଜ ଲୋହିତ ପତର ଗହଳେ ହସି ହସି କୋଟି କୁସୁମ ଫୁଟେ ।

ଶାନ୍ତି ନୀଡ଼ରୁ କପୋତ ବାହୁନା ସ୍ଵର ବାନ୍ଧଇ ତଟିନୀ କୂଳେ-

ମାଣ ପୁରିଲାଣି ଉଠ୍’ରେ ପୁତ, ଉଠ୍’ରେ ପୁତ ଆହୁରି ଥରେ,

ଲହୁ ଦେଇ ତୋର ସୃଷ୍ଟି କରରେ ଲୁହାର ଜନତା ଧରଣୀପରେ

ଅଶ୍ରୁ ଆହୂତି ଦେଇ ମୁଁ ଡାକୁଚି, ଉଠ୍’ରେ ପୁତ ଆହୁରି ଥରେ ।

ଉଠେ ପୁତ ଉଠେ ସନ୍ତାନ ଆଜି ଉତ୍ତୋଳି ତାର ଅୟୁତ ଶିର

ଭୀମ ହୁଙ୍କାରେ ମରଣ ଶଯ୍ୟା ବିଦାରି ବିଦାରି ମାଟିର ବୀର ।

ଏତେ ଦିନ ଧରି ଶାଳ ମଞ୍ଜି ସେ ମାଟିତଳେ ଥିଲା ଲୁଚାଇ ମଥା

ଶୁଷ୍କ ମାଟିରେ ନିର୍ଜୀବ ଭଳି ଜଡ଼ ଧରିଥିଲା ଜୀବନ-କଥା ।

ଆଦ୍ୟ ଆଷାଢ଼ ନବ ବାରିପାତେ ଦୁର୍ମଦ ସେ ଯେ ବିଦାରି ଭୂଇଁ

ଉର୍ବର ଶିର ଉଠାଏ ଉର୍ଦ୍ଧ୍ଵେ, ସ୍ନିଗ୍‌ଧ ସୁନୀଳ ଆକାଶ ଛୁଇଁ ।

ଶାଖା ପ୍ରଶାଖା ତା’ ପ୍ରସାରିତ କରି ଚଉଦ ଭୁବନ ଯାଏ କି ମାଡ଼ି

ଶ୍ୟାମଳ କୁଞ୍ଜ ଶଇଳ ଗହନେ ସଜାଇ ସଜାଇ ସଇନ ଧାଡ଼ି ।

ସତେକି ଅବା ସେ କଲ୍ୟାଣ ଧାରା ଗିରି ଝରସମ ଯାଉଚି ଝରି

ବିପୁଳ ସାହସେ ବିଶ୍ଵ ବିକାଶେ ସବୁ ସମ୍ଭାର ରିକ୍ତ କରି ।

କଲ୍ୟାଣୀ ଢେଉ ସଂସାର ତଳୁ ଜଡ଼ତା ନିଭାଏ ମନ୍ଦ୍ରନାଦେ

ଧୂଳି ଧୂସରିତ ପବନ ଲହରେ ଅଭିନବ ତାର ମନ୍ତ୍ର ସାଧେ !

ରାତ୍ରି ଆକାଶ ଆତ୍ମା ବିଦାରି ଜାଣିଚ କି ତମେ କିଏ ସେ ଆସେ !

ଆଗମନୀ ତାର ଧରା ଅମ୍ଵର ଭରି ଆଜିକାର ପବନେ ଭାସେ ।

ନିସ୍ପନ୍ଦିତ ମହା ହିମାଚଳ, ଉଦ୍‌ବେଳିତ ଏ ସାଗର ପାଣି

ନୂଆ କଥା ଦେଖି ଜୀବନ-ଯାତ୍ରୀ ଆଚମ୍ଵିତ କି ହେଉଚ ପୁଣି ?

ପୀଡ଼ିତ ପ୍ରାଣର ସମ୍ଵାଦ ବହି ଆସଇ ସେ ପରା ସୃଷ୍ଟି କାମୀ,

ସୃଷ୍ଟି ତାହାର ଜୀବନ ଯୋଜନା ଚିରକାଳ ସେ ଯେ ଅଗ୍ରଗାମୀ

ଚକ୍ଷୁରୁ ତାର ଚମକ ଚହଲେ, ଗଢ଼ି ଗଢି ଚାଲେ ଆଗାମୀ ଦିନ

ଗଢ଼ି ଗଢ଼ି ଚାଲେ ସୁନ୍ଦର ଧରା, ଗଢ଼ି ଗଢ଼ି ଚାଲେ ସବୁଜ ମନ ।

ସଜାଡ଼ ଅର୍ଘ କୁଳାଙ୍ଗନା ଗୋ, ରଖ ସିନ୍ଦୂର ରକ୍ତେ ଗୋଳି

ନବୀନ ଯୁଗର ଚମପତି ଆସେ ନିୟୁତ ବେଦନା ଦେବାକୁ ବଳି;

ବର୍ତ୍ତମାନର ଦୁର୍ଗ ଦୁଆରେ ପଦାଘାତ କରେ ଋଦ୍ର ରାସେ

ଆଗାମୀ କାଲିର ସନ୍ଧାନ ଘେନି ଦେଖ ଧରଣୀକୁ କିଏ ସେ ଆସେ ?

ଶାନ୍ତିନିକେତନ, ୧୯୫୩

Image

 

ଦୁଇଟ ପାଦ

(ଶିଳ୍ପଗୁରୁ ଅବନୀନ୍ଦ୍ରନାଥଙ୍କ ମୃତ୍ୟୁରେ)

ଦୀପ୍ତ ଅରୁଣ ଆସ୍ଥାନ ଉଠେ ହସି

ଇନ୍ଧନ ସ୍ତୁପ ଅନଳ ପରଶେ ଜଳେ;

ଅକ୍ଷତ ଅଛି କେବଳ ଦୁଇଟି ପାଦ

ହିମାଳୟ ଭଳି ହେମାଳ ହୋଇଚି ଯାହା

ଶେତା କଟ କଟ ନିର୍ଜୀବ ଅଚପଳ

ରେଖା ଦାଗ ସବୁ ଗଲାଣି ନେଳିଆ ପଡ଼ି

ଚକ୍ଷୁ ପଲକେ ପାଉଁଶରେ ହେବ ଶେଷ ।

ଦିଗ କମ୍ପିତ କରି

ଚହଲି ଉଠଇ ସକରୁଣ କୋଳାହଳ

ମଶାଣି ଛାତିରେ ଲକ୍ଷ ଜନର ଭିଡ଼ ।

ଭରା ଭାଦରର ଜନ୍ମାଷ୍ଟମୀ ତିଥି

ଅଞ୍ଜନକଳା ମେଘ ଅନ୍ଧାର ଚିରି

ଏଇ ପାଦ ଦୁଇ ଆଣିଲା ଆଲୋକ ସୁଅ,

ଏଇ ପାଦ ଦୁଇ ଆଣିଲା ଜୀବନେ ଗତି,

ଏଇ ପାଦପାତେ କୋଟିକଳ୍ପନା ଫୁଲ

ସୁବାସେ ଭରିଲା ଅବତଳ ଅଙ୍ଗନ ।

ଏଇ ପଦାଘାତେ ପରାଧୀନତାର ବାଡ଼

ଚୂନା ଚୂନା ହୋଇ ମାଟିରେ ମିଳାଇ ଗଲା ।

ଆଜି ପଉଷର ଶୁକ୍ଳାଷ୍ଟମୀ ତିଥି

ହିମ ଭିଜା ଶଶୀ ଆକାଶେ ଉଠିଚି ହସି,

ମହା ନଗରୀର ମଣିଷ ଗହଳି ଚିରି

ଶୀତୁଳିଆ ବାଆ ଥରାଇ ଦିଅଇ ହାଡ଼

କୁଣ୍ତଳି ହୋଇ ଆକାଶେ ଉଠଇ ଧୂଆଁ ।

ଜନତାର ଭିଡ଼ ବିଦାରି ଦେଖୁଚି ଆଖି

ଠିକିରି ପଡ଼ଇ ଆଖି କରାଟରୁ ଲୁହ

ଅନ୍ତର ଢାଳେ ଭକ୍ତିର ପ୍ରଣିପାତ,

ନାଗିନୀ ପରାଏ ଲୋହିତ ରସନା ଚାଳି

ଅଗ୍ନି ଯାଉଚି ଗ୍ରାସି ଗ୍ରାସି ଦୁଇ ପାଦ

ଦୁଇଟି ଯୁଗର ଶ୍ରେଷ୍ଠ ସଂଯୋଜକ !

ଉଷ୍ମିତ ପଦା, ନିର୍ମମ ଶମଶାନ ।

ଶାନ୍ତିନିକେତନ, ୧୯୫୧

Image

 

ମୁକ୍ତ

-ଏକ-

ତୁମେ ଭିଡ଼ୁଅଛ ହାତରେ ମୋହର

ଯୋରକରି ସାଥି ଯୋରକରି

ଶୃଙ୍ଖଳା ନାମେ ସୁନା ଶୃଙ୍ଖଳ

ଦିନ ରାତି ଖାଲି ଛଳି ଛଳି ।

କାନେ କାନେ ମୋର ଶୁଣାଇ ଦେଉଚ

ମନ୍ତ୍ର ଜଡ଼ିତ ଭାଷା ଭାଷି

ସଂଜତ ହେଲେ ଜୀବନେ ଫୁଟିବ

ପାରିଜାତ କଳି ରାଶି ରାଶି ।

ଭୁଞ୍ଜାଇ ଦେବେ ଅମୃତ ଆଣି

ଅତି ଆଦରରେ ଦେବତାଏ,

ଶୁଣେନାଁ କିନ୍ତୁ ଉପଦେଶମାଳା

ସେଥିରେ ମୋର କି ଆସେଯାଏ ?

ଉପଦେଶ ଖାଲି ଉପଦେଶ ସାଥି,

କହୁଅଛ ଯାହା ପୋଥିକଥା,

ଆଲଳାୟିତ ଏ ଜୀବନ ଉପରେ

ଝଡ଼ ଝଞ୍ଜା ଗୋ ତୋଳେ ମଥା ।

ବିଘ୍ନ ବିପଦ ଦୁଃଖ ଭିତରେ

ମନଭରି ମୋର ମିଳେ ଯାହା

ନିତି ଚାଲି ଚାଲି ବାଡ଼ଦିଆ ବାଟେ

କାହୁଁବା ବୁଝିବ ତୁମେ ତାହା ?

କାହୁଁ ସେ ବୁଝିବ ଖୋଲା ଆକାଶରେ

ଉଡ଼ି ବୁଲିବାର ମାଦକତା,

ମଲା ସମାଜର ଛାଲ ଘୋଡ଼ିହୋଇ

ନିତି ଶୁଣେ ଯିଏ ନୀତିକଥା ।

 

-ଦୁଇ-

ବିଶୃଙ୍ଖଳ ବିଶ୍ଵ ବୁକୁରେ

ନିଃସ୍ଵ ମୁଁ, ପୁଣି ନିଃସହାୟ

ବାସ୍ତବ ଯାହା ସେଇ ମୋ ଦେବତା,

ଅତି ସରଳ ମୋ ଅଭିପ୍ରାୟ !

ଏଇଟିକ ତମେ ବୁଝି ପାରୁନାହିଁ,

ଚଟୁଳ ଛଳନା ଚାଟୁଭାଷି

ଶୃଙ୍ଖଳା ନାମେ ସୁନା ଶୃଙ୍ଖଳ

ଭରି ଦେଉଅଛ କରେ ଆସି ।

 

ଅନୁରୋଧ କରେ ନୀରବ ନିବିଡ଼

ବନ୍ଧନ ଥରେ ଦିଅ ଖୋଲି

ମୁକ୍ତିର ନିଶା ଛାତି ତଳେ ମୋର

ମହକ ଯାଉଛି ବୋଳି ବୋଳି ।

ଝରଣାର ଝର ଝରି ଝରି ଯାଉ

ବନଗିରିମାଳା ଡେଇଁ ଡେଇଁ

ଖୋଲା ଆକାଶର ପିଆସୀ ମୋ ମନ

ଉଡ଼ିବୁଲୁ ମହା ଆଶା ନେଇ ।

ତୁମ ଉପଦେଶ ଛଳନା ଭିତରେ

ମାରନାହିଁ ଆଉ ଜାଳି ପୋଡ଼ି

ସ୍ଵର୍ଗ ବିଭବ ପାରିଜାତ ଫୁଲ

ଜୀବନେ ସେ ସବୁ ନାହିଁ ଲୋଡ଼ି ।

ଅମୃତ ମୁହିଁ ପିଇବି ନାହିଁ ହେ

କରି ମୋ ମନକୁ ଚୂନା ଚୂନା

ରଚିବି ନାହିଁ ମୁଁ ଆରତୀ ଦେଉଳେ

ରକ୍ତକୁ କରି ଧୂପ ଧୁନା ।

ଲୋଡ଼ାନାହିଁ ଆଉ ଯୁକ୍ତିର ମୁହଁ

ବାନ୍ଧି ଦିଅ ହେ ଯୋଗକରି

 

ଶିବ ସମ ମୁହିଁ ଗରଳ ଗିଳିବି

ସରଳ ପଥ ମୋ ଅନୁସରି ।

ଅମର ବୀର୍ଯ୍ୟେ ଚିତ୍ତ ପଖାଳି

ଜନମ ନେଇଚି ଧରାଧାମେ

ଆଲୋକ ମୋହର ଜୈବିକ ଦାବୀ

ଶପଥ ନେଉଚି ତାର ନାମେ ।

ଶାନ୍ତିନିକେତନ, ୧୯୫୨

Image

 

ଅଶ୍ରୁ ସମ୍ଵଳୀ

 

ଜୀର୍ଣ୍ଣପାତ୍ରେ ଦିଓଟି ଅଶ୍ରୁଧାର,

ବୁଦ୍ଧ ହେ, ତୁମ ମଣିଷ ଜାତିକୁ

ଶ୍ରେଷ୍ଠ ଏ ଉପହାର !

ଦେଇଚ ନିଜକୁ ନିଜେ ନିଃଶେଷ କରି

ହେ ମହା ବଳିତା, ବର୍ଣିଳ ଶିଖାଧରି,

ତଥାପି କାହିଁକି ନିବିଡ଼ ଅନ୍ଧକାରେ

ତାର୍ପଣ ହୁଏ ତପତ ରକ୍ତଧାରେ ?

ଆହେ ନିର୍ବାତ ନିର୍ଧୂମ ଦୀପଶିଖା

ଜରା ବିକୃତ ଜଗତ ପଡ଼ିଚି ଫିକା

ରୋଗର ଚିହ୍ନ ଅଙ୍ଗେ ରହିଚି ଲାଖି

ଘରେ ଘରେ ଆଜି ମରଣ ଯାଉଚି ଡାକି,

ରୁଦ୍ର ବିଷାଣ ଦୁଆରେ ଦୁଆରେ ବାଜେ

ମୃତ୍ୟୁ ଜୀବନ, ଜୀବନ ମୃତ୍ୟୁ ସାଜେ ।

କରୁଣା କେଉଁଠି, ହେ ପରମ କାରୁଣିକ ?

ମାଗି ବୁଲୁଥିଲେ ମିଳେନାହିଁ ମୁଠା ଭିକ ।

କାହିଁ ନିର୍ବାଣ ? ମିଳେ ନାହିଁ ମୁଠା ଭାତ

ଗରଜି ଉଠଇ ସଂଘର ଆଭିଜାତ ।

ଦୁଇ ସହସ୍ର ବର୍ଷ ପରେ ହେ ଆଜି

ଭାରତ ରଖିଚି ଭିକାରୀଗୁଡ଼ିଏ ସାଜି,

ସମ୍ଵଳ ଖାଲି ଦିଓଟି ଅଶ୍ରୁଧାର,

ଭାବଗ୍ରାହୀ ହେ, ଅଭାବ ଭିତରେ

ଶ୍ରେଷ୍ଠ ଏ ଉପହାର !

କାଳିକାପୁର, ୧୯୫୨

Image

 

ଅନ୍ଵେଷଣ

 

ଭୀଷଣ ବିକଟ ମଶାଣୀରେ ବସି

ଏକା ମୁଁ ଅଙ୍କ କସେ

ଉପରେ ଆକାଶନ ଶୂନ୍ୟ ଆକାଶ ହସେ ।

ମୂର୍ଛିତ ଚିର ନିପୀଡ଼ିତ ବନ ଭୂଇଁ

ରୁଦ୍ଧ-ଜୀବନ କାହାଣୀ ଯାଇଚି ଛୁଇଁ

ଚାରିପାଖେ ହାୟ ! ଦଗ୍‍ଧ ବିକଳ ଧରା

ଲକ୍ଷ ମଡ଼ାର ହିସାବକାରୀ ମୁଁ

ମୂକ ମୈନାକ ପରା !!

ବିପୁଳ ବିଶ୍ଵେ ଏକାକୀ ଲେଖଇ–

ଜୀବନ ଗଣିତ ଖାତା

ଆସେ ଯାଏ କେତେ ବରବଧୂ, କେତେ ମାତା,

ଆସେ ଯାଏ କେତେ ପିତା ପୁତ୍ରର ଶବ

ନୁଖୁରା ଛାତିରେ ମରଣର ଜୟରବ;

ଚକ୍ଷୁ ପଲକେ କୋଠାରୁ କୁଟୀର ଟଳେ

କେତେ ଦୀପ ଲିଭି କେତେ ଜୁଇନିଆଁ ଜଳେ

ରକ୍ତ ଚିପୁଡ଼ି ଓଜନ କରଇ ବସି,

ହାଡ଼ ମାଂସର ହିସାବ ରଖଇ ହସି,

କୋଟିଜୀବନର ଛନ୍ଦ ବିଳାସ ନେଇ

ନଖମୁନେ ଯାଏ ଗୋଟି ଗୋଟି ଦାଗଦେଇ

ବେବିଲୋନିଆର ମରୁ ବାଲି କହେ କଥା

ପିରାମିଡ଼୍ ତଳେ ଯେତେ ଶବ ତୋଳେ ମଥା,

ଅୟୁତ ଫସିଲ୍ ପୀତ ନଈକୂଳେ ଫଳେ,

ଆଲ୍ଟାମିରା ଓ ଅଜନ୍ତା ଦେହ ଝଳେ ।

ସେ ସବୁ ନିଅଇ ବାରି

ଶବ ପରେ ଶବ ତନଖିଯାଏ ମୁଁ

ଶାଣିତ ଚଞ୍ଚୁ ମାରି ।

ରକ୍ତ ସାଉଁଳା ମାଂସରେ କରେ ଭୋଜି

ସର୍ବଗ୍ରାସୀ ମୋ ଭୋକିଲା ଦୃଷ୍ଟି

ମଶାଣୀ ନେଇଚି ଖୋଜି ।

ଦେଖେ ମୁଁ ଧରଣୀ କ୍ଷତ ବିକ୍ଷତ ଦିଶେ

(ପୂତିଗନ୍ଧର ଶେଷ ଶବାଧାର କି ସେ ?)

କ୍ଷୁବ୍‍ଧ ଦଳିତ ମଣିଷ ମୋ ଆଗେ ମଢ଼ା,

ଅସ୍ଥି ମାଂସେ ଶରୀର ହୋଇଚି ଗଢ଼ା,

ଯେତେ ରାଜନୀତି, ଧର୍ମ ନିୟମ କୁହ

ସବୁରି ଭିତରେ ବୋହୁଚି ଲାଳସା ସୁଅ,

ସବୁରିଉପରେ ନଖ ଦାନ୍ତର ଦାଗ

ବୁଝିଚି ମୁଁ ଏଠି, ଶନ୍ୟ ଜଠର ଆଗ !!!

ଫଗୁଣ ଆସିଲେ ଶିମୂଳି ପଳାଶ ଦେଖି

ଅଧରେ ଦିଅଇ ଲହୁର ଲାଲିମା ଲେଖି

ନୟନେ ଦିଅଇ ହରିତ ବଣୋଚ୍ଛ୍ଵାସ

ଯଉବନେ ଦିଏ ଶଂକା ବିହୀନ ହାସ

ଯେତେ ସବୁ ଦେଇ ଟେମ୍ପରା ଛବି ଧୋଇ

ସ୍ତବ୍ଧ ସ୍ତମିତ ଆକାଶ ଦେଖେ ମୁଁ

ନିଦରେ ପଡ଼ିଚି ଶୋଇ ।

ଅଜଗର ଭଳି ନିଦ୍ରା ବିଭୋର ରାତି

ଘୋଡ଼ାଇ ରଖିଚି ଧରଣୀ ଆକାଶ ଛାତି

ଜଳାଇ ଦେଇଚି ଫସ୍‌ଫରସର ନିଆଁ

ଏତେବେଳେ ଏଠି ନୀରବ ରହିବି କିଆଁ ?

ଶବର ଶୀତଳ ମଶାଣୀ ଛାତିରେ–

ଏକା ମୁହିଁ ଖାଲି ଏକା

ଚାରିପାଖେ ମୋର ଅଗଣିତ ଶିଳାଲେଖା;

ବ୍ୟର୍ଥ ଜନମ ଯୌବନ ଏଠି ହାୟ,

କୁଢ଼ କୁଢ଼ ଏଇ ଭଙ୍ଗା ହାଡ଼ରୁ

ସଂଗୀତ ସୁଧା ଖୋଜି ଖୋଜି ନିରୁପାୟ !!

ଶାନ୍ତିନିକେତନ, ୧୯୫୪

Image

 

ରଣ କୁହୁଡ଼ି

 

ସକାଳ ପହରୁଁ ଝିପିଝିପି ବାରି

ସନ୍ଧ୍ୟା ହେଲାଣି ଆସି,

ଶ୍ରାବଣର ଏଇ ସଜଳ ଆକାଶେ

କଳା ମେଘଯାଏ ଭାସି,

କାହାଲାଗି ଆଜି ଉଦାସ ଦୃଷ୍ଟି ମୋର

ବାତାୟନ ତଳେ ନିରେଖୁଚି ଘନଘୋର;

ଖୋଲା ଆକାଶରୁ ଗଣୁଚି ଶ୍ରାବଣ ଧାରା

ମନଗହନରେ ଠୁଳକରି ଯେତେ

ଅକୁହା ବେଦନା ଭାରା-

କହ କାହାପାଇଁ ଦୁନିଆ ଦୁଆର କିଳେ

ଭାବନା କୋଠାର ଜୀର୍ଣ ଆବିଳ ବିଳେ ?

ଆଜି ଯେଉଁ ଶିଶୁ ଆସି ଆସିନାହିଁ

କାଳର ଦୁଆର ଖୋଲି,

ଅଧରେ ତାହାର ରଙ୍ଗ ଗୋଧୂଳି ବୋଳି,

ଛୋଟ ଛୋଟ ଦୁଇ ହାତେ ଭରି ତାର

ଅସୀମ ସମ୍ଭାବନା,

ଦୁକୁଦୁକି ତଳେ ଠୁଳକରି ଯେତେ

ଜୀବନର କଳ୍ପନା

କହି କହିନାହିଁ ଅସରା ଦରୋଟି କଥା,

ରସର ଉତ୍ସେ ଧୋଇ ଦେଇ ନାଇଁ ବଥା,

କ୍ଷୁଦ୍ର ପାଦ ତା’ ଥାପିନାଇଁ ଧରଣୀରେ

ଚଳାଇ ନେଇନି ଜୀବନ ନଉକା

ଆଶାର ବନ୍ୟା ନୀରେ ।

 

ପିତା ମୁଁ ତାହାର ପଥ ଖୋଜି ପାଏନାହିଁ

ଜଳଛବି ଭଳି କାଚ ପାତ୍ରରେ

ଜଳଜଳ ରହେ ଚାହିଁ ।

ନୟନରେ ଘେନି ଅସୁମାରି ରୂପଛଟା

କ୍ଷୁଦ୍ର ହୃଦୟେ ଲଟାଇ ମାଧବୀ ଲଟା

ଅନାଗତର ଏ ଉଜ୍ଵଳ ଶିଶୁ

ବନ୍ଦୀ ଗହନ ଗଡ଼େ

ବନ୍ଦୀ ତାହାର ବିପୁଳ ଜୀବନ ଆଜି

ଜାଇ ଯୂଇ ହେନା, ନିଇତି ବିକଶି ଝଡ଼େ

ଗନ୍ଧ ପରଶେ ଉଆସ ପଡ଼ଇ ଭାଜି ।

 

କରୁଣ ଆକାଶ ଆହୁରି କରୁଣ ହୁଏ

ଘନବର୍ଷାରେ ଶ୍ୟାମଳ କେଦାର ଧୂଏ,

ଧୋଇ ନେଇଯାଏ ସବୁଜ ବନାନୀ ଶିର

ନଦୀ ପଲ୍ବଳ ପଲ୍ଲବ ମୟୀ ତୀର

ସରଗର ସେଇ ଅମୃତ ରସ ଲଭି

ଅକବି ହୁଅଇ ଆଜି ଉଦ୍ଭଟ କବି

କୁତ୍ସିତ ହୁଏ ଅପରୂପ ସୁନ୍ଦର

କାନେ ବାଜେ ତାର ଆର୍ତ କରୁଣ ସ୍ଵର

ସରିସରି ଆସେ ଘନଘୋର ଶର୍ବରୀ,

ମୁକ୍ତି ମାଗେ ମୋ ମାନସ ପୁତ୍ର

ଜରାୟୁ ଛିନ୍ନ କରି ।

ଶାନ୍ତିନିକେତନ, ୧୯୫୫

Image

 

ଗେରୁ ମାଟି

 

ନରମ କଣ୍ଠେ ଶତ ଅଭିମାନ ଭାର

ଅୟୁତ ଆଘାତ ଆୟତ ଆଖିରେ ତାର

ପାଦ ତଳେ ତଳେ ରାସ୍ତାର ଗେରୁ ମାଟି

ସକାଳ ଖରାର ଶାଣିତ କିରଣ ଧାର

ଏକ ପରେ ଏକ ରେଖା ଲେଖାଯାଏ କାଟି ।

କାଟି ଯାଏ କେତେ କୋଟି କମପକା ଫୁଲ

ଜୀବନେ ଦେଇନି, ମରଣେ ଦେବକି ମୂଲ ?

କଥାରେ କହିନି ଇଙ୍ଗିତ କାହୁଁ ଦେବ,

ଭଲ ପାଇ ପୁଣି କରିଚି ଯେତେକ ଭୁଲ

ଦୁଃଖର ଭାରେ ତରିକିଆଁ ଭରିନେବ ?

ନିରର୍ଥକ ଏ ସମତଳ ପଥେ ଚାଲି

ଦେଖି ଡର ମାଡ଼େ ଦୂରରୁ ସାହାରା ବାଲି

ଡରଲାଗେ ଦେଖି ବନ୍ଧୁର ଗିରି ଚୂଡ଼ା

ଡର ଲାଗେ ଭାବି ଆସିବ ଏ ଯେଉଁ କାଲି,

ଥରିଉଠେ ଛାତି ଖୋଲିଲେ ନୂତନ ପୁଡ଼ା ।

 

ଭଲ ଲାଗେ ନାହିଁ ଛଳନାର ଛଇ ଯେତେ

ଅବିରଳ ଯେଉଁ ଧାରା ଝରିଯାଏ କ୍ଷେତେ

ଢଙ୍ଗ ତମର ଏମନ ବିଷେଇ ଦିଏ

ଦରଦ ତମର ବିବ୍ରତ କରେ ମୋତେ

ବାଢ଼ିଲେ ଅଶ୍ରୁ ସାଉଁଟି ଆଣଇ ସିଏ ।

ସମଶୀତୋଷ୍ଣ ସକାଳର ଜଳବାୟୁ

ଶାଣ ଦେଇଯାଏ ଅଚଳ ମୋ ଯେତେ ସ୍ନାୟୁ

ରାସ୍ତାରେ ଦେଖ ଉଡ଼େ ଯେ ଶସ୍ତା ଧୂଳି

ଜାଣନାହିଁ ଆହା କେଉଁଠି ସରେତା ଆୟୁ !

ବଡ଼ ନିର୍ବୋଧ ଏ ପଥେ ଆସିଚ ଭୁଲି ।

ଶାନ୍ତି ନିକେତନ, ୧୯୫୩

Image

 

ବେଲ ଘାଇ

 

ବେଲ ଘାଇ ଆଜି ଅଦିନେ ଆସିଚି ତୋହରି ଘରେ

ତୋହରି ରାଗିଣୀ ଆଜି ଏ ମୋହରି କଣ୍ଠେ ଭରେ,

ଶିଉଳି ସାଉଁଳା ପାଣିରେ ନିରେଖେ କାହାର ଛାଇ

ଉପଳ ଶେଯେ ତୋ ମୋ ଆଖି ଲୋତକ ନୀରତେ ଝରେ ?

ହଂସ ବଳାକା ମାଳା ରଚିଯାଏ ତୋହରି ତଟେ

ଉଡ଼ିଯାଏ କେତେ ବେନାମୀ ବିହଗ ଗଗନ ପଟେ

ଉଡ଼ିଯାଏ କେତେ ପଥହୁଡ଼ା ମନ ଜାଣୁକି କହ

କାକଳି ମୁଖର ସଂଜ କି ତୋର ସେ ବାଣୀ ରଟେ ?

ଲତା ମନ୍ଦିରେ ଘନ ଅନ୍ଧାର ଦେଲାଣି ଦେଖା

ଢେଉରେ ନାଚେ ତୋ ରୂପା ଚାନ୍ଦର କଅଁଳ ରେଖା

ଛାୟା ବନ୍ଧୁର ବନ ମାଟି ତୋର କବିତା କରେ

ମନେ ପଡ଼େନି କି ତା ଆଖି କଣର ଅଶ୍ରୁଲେଖା ?

ବେଲ ଘାଇ ଆଜି ଅଦିନେ ତୋ ତୀରେ ଭୁଲିଚି ବାଟ

କୁହୁକ କରିଚି ଆଜି ତୋ ପଠାର ଧୂସର ପାଟ

ତନ୍ଦ୍ରିତ ରାତି କରିଚି ମୋତେ ଲୋ ଆତ୍ମହରା

ବିଧୂର କରିଚି ଶୈକତ କୁଦ ଅଭୁଲା ଘାଟ ।

ବଢ଼ିଚି ରାତ୍ରି ଛିଡ଼ିଚି ଆକାଶୀ ଚାନ୍ଦ ଛାଇ

କା’ଲାଗି ବସିଚି ଧୂସର ବାଲିରେ କେହିତ ନାଇଁ ।

କା’ଲାଗି ଗାଉଚି କଣ୍ଠ ଖୋଲି ମୋ ବେସୁରା ଗୀତ

ଚିର ଉନ୍ନତ ଯଉବନ ଝୁରେ କାହାର ପାଇଁ !

ଆସେ ତୋ ଆକାଶେ ବଜ୍ର ବିଜୁଳି ବଜାଇ ତାଳି

ମେଦୁର ବର୍ଷା ସରଧାରେ ଦିଏ ଅଙ୍ଗ ଢାଳି,

ସିକ୍ତ ମାଟିର ସଉରଭେ ଭରେ ପ୍ରତିଟି ଶିରା

ପ୍ରତି ଅଙ୍ଗରେ ଉଜଳି ଉଠଇ କରକା ମାଳି !

ହଂସ ବଳକା ଉଡ଼େନାହିଁ ଆଉ ଏ ତୋର ତଟେ

ଉଡ଼େ ନାଇଁ ଆଉ ବେନାମୀ ବିହଗ ଗଗନ ପଟେ

ଉଡ଼ି ଉଡ଼ି ଯାଏ ତଥାପି ଏ ମନ କୁଆଡ଼େ କେତେ

ବରଷାର ଚଳ ଚରଣ ଆଜି ଲୋ ସେ ବାଣୀ ରଟେ ।

ଝରିଯାଏ ମେଘ, ଥରିଯାଏ ମନ କଅଣ କେତେ

ମଥା ତୋଳେ ଆଜି ଅଲୋଡ଼ା କଥା ମୋ ଛାତିର ଯେତେ;

ଛୁଟିଯାଏ ଆଜି ଭଗନ ବୁକୁର ନଗନ ସୁଅ

ମୁକ୍ତି ଲୋଡ଼େକି ବୃନ୍ତ ବିହୀନ ଦଳିତ ଯେତେ ?

ବେଲ ଘାଇ ତୋର ଧୋଇ ଦେଇଚି କି ବର୍ଷା ବାରି

ନାଗେଶ୍ଵରର ସଞ୍ଚିତ ରେଣୁ ହସ୍ତ ମାରି

ଧୋଇ ନେଇଚି କି ଶୀତଳ ଜ୍ଵାଳାର ଗୋପନ ରାଗ

ମୋତେ ଲୋ କରିଚି ଉନ୍ନଦ ଆଉ ସ୍ଵୈରାଚାରୀ ।

କାଳିକାପୁର, ୧୯୫୪

Image

 

ନୂତନ କବିତା

 

ବଉଦ ଶଇଳେ ସଉଧ ଉଠିଚି ସୁନ୍ଦର ମନୋରମ

ସୁନ୍ଦରୀ ତୁମ କାନ୍ତ ମୁଖରେ କବିତାର କୋଟି କମ ।

ବାତାୟନ ଟପି ଏଇ ଯେ ଦିଶୁଚି କୃଷ୍ଣଚୂଡ଼ାର ବନ

ଅୟୁତ ରଙ୍ଗ କୁସୁମ ଚହଟେ ନିରଳସ ଉନ୍ମନ ।

ସେଇ ରଙ୍ଗିନ୍ ଅଧର ଅଧରେ ଲେପି ଦେଇଚି କି କିଏ

ଚହଟାଇ ଦିଏ ରକ୍ତିମ ଥୋପି ଅନ୍ତର ତଳେ ସିଏ ।

ଦେଶ ଦଶ ଲାଗି ରକ୍ତ ଗୋ ଲୋଡ଼ା, ଆଦିମ ନିଗଡ଼ ଫେଇ

ତୁମେ ସୁନ୍ଦରୀ ଅଧର ଦିଓଟି ସେଇଠି ପାରିବ ଦେଇ ।

ସେଇଠି ପାରିବ ଉଜାଡ଼ି ତୁମର ଓଷ୍ଠଭରା ଏ ମଧୁ,

କୋଟି କଙ୍କାଳ କାଙ୍ଗାଳ ମେଳେ ପଦେ କଥା ବରବଧୂ !

ଏଇ ଯେ ତୁମର ନୀଳ ଢଳ ଢଳ ଆୟତ ଯୁଗ୍ମ ଆଖି

ଯୋଡ଼ି ଦେଇଯାଏ ଦୁଇ ଜୀବନରେ ସ୍ଵପ୍ନିଳ ସୁନା ରାଖି

ନରମ ବୟସ ସରମ ପରଶେ ଭୀରୁ ପତା ପଡ଼େ ଭାଜି

ତାହାରି ମମତା ଛାଡ଼ିବାକୁ ସତେ ତୁମେ କି ହୋଇଚ ରାଜି ?

ଅତି ଆଧୁନିକ ଦୃଷ୍ଟିକୋଣରୁ ତୁମେ ଗୋ ଅନାଅ ଥରେ

ଶତ ନିପୀଡ଼ିତ, ନିଉତ ନିଊନ ଯାତ୍ରାର ପଥପରେ

ଚାହାଣୀରୁ ତୁମ ଆଶୀଷ କରୁଣା ସୁଧାଧାରା ସମ ଝରି

ଅନ୍ତର ତଳେ ନବ ମନ୍ତରେ ଆଶ୍ଵାସ ଯାଏ ଭରି

ଧରଣୀର ପରେ ଦୁଇଟି ଆଖିର ମୌନ ଇସ୍ତାହାର

ଟାଣି ଦେଇଯାଏ ସାମ୍ୟ, ମୈତ୍ରୀ ପ୍ରଗତିବାଦୀର ଗାର !

ଅଧରୁ ତୁମରି ନୟନୁ ତୁମରି ବିଶ୍ଵ ବିକାଶ ପାଇଁ

ଯେତେକ ରକ୍ତ, ଯେତେକ ଅଶ୍ରୁ-କଲ୍ଲୋଳ ଆସୁ ଧାଇଁ ।

ପୋଛି ନେଇଯାଉ ଦୀନ ଦଳିତର ବକ୍ଷ ତଳର ଦାଗ

ନୂତନ କବିତା ଜୀବନର ସତୀ ସୀତା ସୁନ୍ଦରୀ ଜାଗ !

ଶାନ୍ତି ନିକେତନ, ୧୯୫୧

Image

 

ସ୍ଵର୍ଣ୍ଣ ଫସଲ

 

ଜୀବନରେ ଜୋଛନା

ଆସିଚି ଆସିଚି ଆଜି ପୋଛିପକା ଶୋଚନା !

ଯାତ୍ରାର ପଥ ଧାରେ ଆମେ ଦୁଇ ଚରିତ

ବାହି ନେଇ ପାରିବା କି ବିକାଶର ସରିତ ?

ବକ୍ଷର ପେମ ଦେଇ ଭକ୍ଷକେ ଜିଣିବା

ନିର୍ମଳ ଅନ୍ତରେ ଦୁନିଆଟା କିଣିବା ।

ଅଚଖା ଅମୀୟ ଧାରା କର ପୁଟେ ଧରି ଗୋ,

ଘରେ ଘରେ ସୃଜନର ସୁଖ ଦେବା ଭରି ଗୋ !

ଜୀବନର ଅଭିଯାନେ ମିଳେ ଯେତେ କଷଣ

ସେତ ଆମ ଅଙ୍ଗର ଅମ୍ଳାନ ଭୂଷଣ ।

ବକ୍ଷର ଲହୁ ଆଉ ଚକ୍ଷୁର ଲୁହରେ

ମହୁକରି ଖୁଆଇବା କ୍ଷୁଧାତୁର ମୁହଁରେ ।

ଆମ ସୁଖ ସରୁ ପଛେ ଧରା ହେଉ ଚେତନ

ଅଙ୍ଗନ ଭରି ଉଡ଼ୁ ଦୁଃଖର କେତନ ।

ଦୁଃଖରେ ଶାନ୍ତି ଗୋ, ଦୁଃଖରେ ତୃପତି

ଦୁଃଖୀ ଏ ଦୁନିଆର ଅଟେ ମହା ସ୍ଥପତ ।

ଲହୁ ଲୁହ ଝାଳେ ଗଢ଼େ ପଉଷର ହସଟି

ଜଡ଼ ଦେହେ ସଂଚାରେ ମଉସୁମୀ ରସଟି ।

ଜୀବନରେ ଜୋଛନା,

ଆସିଚି ଆସିଚି ଆମ ଆଉ ନାହିଁ ଶୋଚନା !

ଶାନ୍ତି ନିକେତନ, ୧୯୫୧

Image

 

କଥାଟିଏ କହୁଁ

।। ଏକ ।।

 

କଥାଟିଏ କହୁଁ

ସାଧବ ପୁଅ

ବୋଇତ ବାହି ବୁଲେ

ଦୂର ଦରିଆ ପଥେ

ଆକାଶୀ ମନ ଉଡ଼ଇ ତା’ର

ଅସୀମ ଆକାଶରେ

ଧଳା ବାଦଲ ରଥେ

ଗୋଟିକ ପରେ ଗୋଟିଏ ଆସେ ଢେଉ

ମଥାଟି ମାନ କଚାଡ଼ି ଦେଉ ଦେଉ

ହୁଅଇ ଚୂନା ଚୂନା,

ଉଡ଼ାଇ ପାଲ ମଙ୍ଗଧରି ସେ ଯେ

ବେପାରେ ନିଏ ସୁନା ।

ଭାସିଯାଏ ତା ଧନ ବୋଇତ

ଦରିଆ ଢେଉ କାଟି

ବନ୍ଧା ଏଣେ ମନ ବୋଇତ

ମଙ୍ଗ ଚାବିକାଠି

ବେପାର କରେ ବଣିଜ କରେ

ଭିଡ଼ଇ ଘାଟେ ତରୀ,

ଦୂର ଦୁନିଆ ମାଟି ଉପରେ

ଅଶ୍ରୁ ପଡ଼େ ଝରି ।

 

।। ଦୁଇ ।।

 

ସାଧବ ଝିଅ ?

ସାଧବ ବୋହୂ

ରତ୍ନାବତୀ ନାଆଁ-

ରତନ ଲତା ତନୁ

ଯତନ କରି ବଢ଼ାଇ ଅଛି

ବିଧାତା ଅଲିଅଳେ

ଅତନୁ ଫୁଲ ଧନୁ ।

ଚାଉଳ ଦେଇ ତିନୋଟି ମୁଠା ଥୋଇ

ଖବର ବୁଝେ;

ଖବର ଆଣି ଦିଅଇ କାକପୋଇ

ବାଡ଼ି ଦୁଆର ତଳେ,

ପ୍ରବାସୀ ପ୍ରିୟ ମଧୁର ରୂପ

ମନ ଭିତରେ ସିନେମା ଭଳି ଚଳେ ।

ଗୋଟିକି ଗୋଟି ଉଠଇ ଛବି

ମରମ ତଳେ ହସି,

ସେତିକି ବେଳେ ଲିଭାଇ ଦିଏ

ବାସ୍ତବର ଶାଣୁଆ ଧାର ଅସି ।

କାଟୁଣି ଖୁଡ଼ି

କରଇ କୋପ

ଯାଅଇ ଲୁହ ବୋହି,

କେବେ ଫେରିବ

ପରାଣ ଜନ

ସବୁ କାଳିମା ଧୋଇ ?

 

।। ତିନି ।।

 

ସାଧବ ପୁଅ ସୁରା ସାଗର କାଟି

ବେପାର କରେ

ବଣିଜ କରେ

ଭିନ୍ନ ଦେଶ ମାଟି;

ଭିନ୍ନ ଦେଶ ପାଣି,

ଭିନ୍ନ ଦେଶ ପବନ ନିଏ

ନାଶିକା ଭରି ଟାଣି ।

ଭିନ୍ନ ଦେଶ ବଣ ପାହାଡ଼

ନିରେଖେ ଆଖି ଭରି,

କିନ୍ତୁ–

ନିଜ ଦେଶର ସାଥିରେ ତାର

ପାରେନି ତୁଲ କରି ।

ନିଜ ଦେଶର ପ୍ରତିଟି ତୃଣ ଶିଳା

ମନରେ ତାର ରଚଇ ଆସି

ଅଭୂଲା ରୂପ ଲୀଳା ।

 

।। ଚାରି ।।

 

ଦିନେ ଦେଇଚି ଚିଠି ସାଧବ ପୁଅ

ରତ୍ନାବତୀ ବସି

ପଢ଼ଇ ବାର ବାର,

ତଥାପି ତାରେ ପାରେନି ଥୋଇ

ନିହାତି ପ୍ରିୟ ତାର,

ଏକାନ୍ତ ଆପଣାର ।

ଲେଖିଚି ପ୍ରିୟ

ସାଧବ ପୁଅ ଦୂରୁ–

ଜାଭା ଦ୍ଵୀପର ଅଜଣା ଏକ ପୁରୁ

ବୁକୁ ବଉଳା ରାଗେ

କାଗଜ ନୁହେଁ;

କଲିଜା ପରେ ଦେଇ

ଅଲିଭା ଏକ ଦାଗେ ।

“ଲେଖିଚ ପ୍ରିୟେ ନେବାକୁ ଏଠୁ

ଏଠିକା ଭଲ ଚିଜ

ତୁମ ପାଇଁ କି ଉପହାର ଗୋ;

ତୁମେ ତ ତାର ନିଜ,

କି ଲାଭ କହ ଅନ୍ୟ ଚିଜ ନେଇ

ଦେବି ଗୋ ତୁମ ହାତେ–

ଯେଉଁଠି ମୁହିଁ ଦେଇଚି ତୋଳି

ନିଜକୁ ତୁମ ହାତେ ।

 

।। ପାଞ୍ଚ ।।

 

କଥାଟି ମୋର ହୋଇଲା ଶେଷ

ଫୁଲ ଗଛଟି ମଲା ?

କିସ କହୁଚ, କିସ କଥାଟି

କାହାଣୀ କାହିଁ ଗଲା ?

ମନରୁ ଫୁଟି ମନରେ ଉଠି

ଆପଣା କଥା ଝୁଲ

କାହାଣୀ ରୂପ ପାଏ,

କାହାଣୀ କାହିଁ ଥାଏ ?

ପାଟିର କଥା ହୋଇଲା ଶେଷ

ମନର କଥା କାହିଁ

ଶେଷତ ହେଲା ନାହିଁ ।

କାବ୍ୟ ହୁଏ,

କବିତା ହୁଏ

ହୁଅଇ ଉପନ୍ୟାସ

ମନର କଥା କାଗଜ ପରେ

ପାଇଲେ ଜୀବନ୍ୟାସ ।

ଶାନ୍ତି ନିକେତନ, ୧୯୫୧

 

ପ୍ରଣାମ କରେ

 

ଜନତାର ଏ ସାଗର ଚିରି ବୁକୁରେ ବହି ବିପୁଳ ବଥା

ସୂର୍ଯ୍ୟ ତଳେ ତୂର୍ଯ୍ୟ ନାଦେ ଆଜି ଯେ ମାଟି ଉଠାଏ ମଥା ।

ଡାକଇ ଯିଏ ଇଙ୍ଗିତରେ ଅସୀମ ଏକ ଦିଗନ୍ତରୁ

ଦୀନ ଦୁନିଆ ଦଳିତ ଜନ ସମ୍ମିଳିତ ଅନ୍ତରରୁ ।

ସୁଧାର ଥାଳି ହାତରେ ଧରି ବସୁଧାପରେ ମସୁଧାଭରେ

ଲକ୍ଷ୍ମୀଛଡ଼ା ଅଲକ୍ଷ୍ମୀ ମୁଁ ପାଦତଳେ ତା’ ପ୍ରଣାମ କରେ !

ପ୍ରଣାମ କରେ ସ୍ଵାଧୀନ ମାଟି, ସ୍ଵାଧୀନ ଫଳ, ସ୍ଵାଧୀନ ଜନେ

ପୁଞ୍ଜିଭୂତ ରକ୍ତ ବ୍ୟଥା ଗର୍ଭିତ ଯେ ଗହନ ମନେ

କ୍ଷୟ ବିହୀନ ସେଦେଶ ମାଟି ଉପରେ ଦିଏ ଅର୍ଘ ଢାଳି

ଅନ୍ତରର ଅନ୍ତଃପୁରେ ଶ୍ରଦ୍ଧା ଭରା ପ୍ରଦୀପ ଜାଳି ।

ପ୍ରଳୟକାରୀ ପ୍ରବଳ ଝଡ଼େ ଆଲୋକ ବାହୀ ଅର୍ଚିଶିଖା

ଦୁଃଖ ତାପ ମନ୍ଥନରେ ନିଗ୍ରହୀର ବିଜୟଟିକା ।

ଶ୍ରମିକ ଶିରୀ ଘର୍ମ ପାହାଡ଼ ହାଡ଼ୁ ତଟିନୀ ଝରେ,

ପତିତ ଜନ ପାବନୀ ମାତା, ତାହାରି ପାଦେ ପ୍ରଣାମ କରେ ।

ଉର୍ଧାକାଶ ତାରକାବଳୀ ସେ ମାଟି ଆଡ଼େ ଅନାଇ ରହେ

ସସମ୍ଭାରେ ଲହରୀ ରେଖା ସେଇ ଦେଶର ଚିହ୍ନ ବହେ,

ଦନ୍ତୁରିତ ଉପକୂଳେ ତା’ ଉପଳ ମାଳା କହଇ କଥା

ସବୁରି ପାଇଁ ସ୍ଵର୍ଣ୍ଣ ଭୂଇଁ, ବୁଝଇ ସିଏ ସବୁରି ବଥା ।

ମଣିଷ ପୁଅ ଚାରଣ ଦେଶ ମହା ମିଳନେ ପୂଣ୍ୟ ମାଟି

ଆଲୋକ ସୁଅ ଆକୁଳେ ତହିଁ ଗହନ ମେଘୁ ପଡ଼ଇ ଫାଟି ।

ଅମିତାଭ ସେ ନବୀନ ଦେଶ ଅନ୍ତରର ବାର୍ତା ଧରେ

ପଥିକ ପ୍ରାଣ ଆବେଗ ଧରି ଆଜି ମୁଁ ତାରେ ପ୍ରଣାମ କରେ ।

ଶାନ୍ତି ନିକେତନ, ୧୯୫୨

Image

 

ମହୀରୁହ

 

ଯେଉଁଆଡ଼େ ଚାହଁ ସେ ଆଡ଼େ ଦିଶୁଚି ଧୂସର ଗୋ

ଆଜି ଏ ନଈରେ ପାଣି ନାହିଁ, ଖାଲି ଗୋଡ଼ି ବାଲି;

ଦୂରେ ମରୀଚିକା ନାଟ କରୁଅଛି ରହି ରହି

କ୍ଳାନ୍ତ ପଥିକ ପାଦ ଥକିଯାଏ ଚାଲି ଚାଲି ।

ତୁମକୁ ଦେଖି ମୁଁ ଭାବୁଅଛି ମନେ ତମେ କଣ

ମଲା ନଈ ତୁଠ ଧୂସର ବାଲିର ମହୀରୁହ ?

ଆକାଶକୁ ଚାହିଁ ଠିଆ ହୋଇଅଛ ମୂକ ଭଳି

ତମରି ମୂଳରେ ଲୁଚିଲାଣି କେତେ ଲହୁଲୁହ ।

ବର୍ଣ ବିହୀନ ତମରି ଏ ଦେହ ଖୋଳପାରେ

କେତେ ଶୀତ, କେତେ ବରଷା, ଶରତ ଭେଦିଲାଣି,

କେତେ ଫଗୁଣର ମଧୁ ଉତ୍ସବ ଦେଖି ଦେଖି

ତମରି ମନରୁ ରସର ଉତ୍ସ ଶୁଖିଲାଣି ।

ତମେ ଥିଲ ଦିନେ ଶ୍ୟାମଳ ଶୋଭାର ସରଘର,

କଢ଼ ଆଉ ଫୁଲ ଥୋପା ଥୋପା ତମ ଡାଳେ ଡାଳେ

ଦୋଳି ଖେଳୁଥିଲା, ଫଳର ମଧୁର ମାଦକତା

ମୋହୁଥିଲା ମନ କେତେ ପଥିକର ସେହିକାଳେ ।

କେତେ ପକ୍ଷୀର ନୀଡ଼ ହସୁଥିଲା ତମ ଦେହେ,

ଦେଉଥିଲପରା ଆଶ୍ରୟ କେତେ ଅଭାଗାରେ

ଆଜି ସେଇ କଥା ସପନ ପରାଏ ମନେହୁଏ

ତମ ଏ ଋକ୍ଷ ମରଣୋନ୍ମୁଖୀ ଦେହଠାରେ ।

ସବୁତ ଗଲାଣି ଶିରୀ ସଉରଭ ଯାହାଥିଲା

ପଡ଼ି ରହିଅଛ କର୍ପୂର ହୀନ କନାପରି

ଏ ମାଟି କାମୁଡ଼ି, ଏ ନଈକୁ ଚାହିଁ ଜଳ ଜଳ

ତମ ଦିନକାଳ ଏବେ ଧୀରେ ଧୀରେ ଆସେ ସରି ।

ତମକୁ ଦେଖି ମୁଁ ଭାବୁଅଛି ମନେ ତମେ କଣ

ମୋହରି ପରାଏ ଅଭିଜାତ୍ୟର ଶେଷ ଶିଖା

ଦିନୁ ଦିନ ତମେ ଜୀବନ ଯୁଦ୍ଧେ ହାରି ହାରି

ସୁନ୍ଦର ଶିରୀ ହୋଇ ଆସିଲାଣି ଏବେ ଫିକା ?

ମଲା ନଈ ତୁଠ ମହୀରୁହ ଆହେ କହିବ କି

ଆସିବ କି ଆଉ କେବେ ମୋ ଜୀବନେ ଶ୍ୟାମଳିମା;

କେବେ ଫୁଟିବ କି ମୋ ମନ ବୃନ୍ତେ ଆଶା କଳି,

ନୀଳୁ ନୀଳତର ହେବନି କି ମୋର ତନୁ ସୀମା ?

କାଳିକାପୁର, ୧୯୬୩

Image

 

ବାରିତଳେ ଫୁଟେ କେତକୀ କଳି

 

ବାରିତଳେ ଫୁଟେ ପହିଲି କରି ଗୋ

ସହି ସୁନାଗୋରୀ କେତକୀ କଳି

ଚପଳା ଚଇତ ଚଇତାଳି ଡାକେ

ସପନ ଗଡ଼ରୁ ଆସଇ ଢଳି ।

ଢଳି ଢଳି ଝଳେ ହେମ ପାଖୁଡ଼ାରେ

ଆଜି ଏ ଲଗନେ ରଜତ ରଜ

ସୁରଭି ତାହାର ପବନେ ପବନେ

ମନସିଜ ମନ କରଇ ସଜ ।

ସଜ କରେ ସେ ଯେ ସରସ ଫଗୁଣ

ଆଦର ସକାଳ ଆଦିମ ରାସେ

ମହକ ଚମକ ଛନକ ଛୁଆଁଇ

ବାରି ତଳମାଳେ କେତକୀ ଆସେ ।

ଆସେ ମନୋରମା ନରମା ରୂପସୀ

ସରମ ଝରଣା ପଡ଼ଇ ଝରି

କଣ୍ଟକମୟ ନିବିଡ଼ ପୁଆରେ

ମହୁଆ ମଦିର ମହକ ଭରି ।

ଭରିଦିଏ ତାର ଅଳପ ଆଳାପ

ସବୁଜ ତଳପ ସପନେ ଦଳି

ଫୁଟି ଫୁଟିଉଠେ ପହିଲି ଫଗୁଣେ

ବାରିତଳ ମାଳେ କେତକୀ କଳି ।

କଳି ନୁହଇ ସେ କାନନ ଯୁଡ଼ାରେ

ସୁନା ପାଣି ଦିଆ କେତକୀ କଳି

ନାଶାରେ ଗୁମରେ ତାହାର ସୁରଭି

ନୂଆ ଯଉବନ ଉଠଇ ଝଳି ।

ଝଳିଉଠେ ଏଇ ମଧୁର ଲଗନେ

ମାୟା ମାନସୀର ମାଧୁରୀ ସିନା,

ଜୀବନ କାନନେ ନବ ଯଉବନେ

ଗୁମରି ଉଠଇ ଗୋପନ ବୀଣା ।

ବୀଣା ତାରେ ତାରେ ଉକୁଟେ କେତେ କି

କନକ କେତକୀ ଆକୁଳ ଆଶା

ଆଦିମ ଯୁଗର ମନ ଗହୀରର

ଛନ ଛନ ସଜ ସତେଜ ଭାଷା ।

ଭାଷା ଭାସିଯାଏ ଦେହ ଗୋଟା ଭରି

ଭୁଆସୁଣି ବୁକୁ କାଉଁରୀ ପୁଟେ

ସଜ ରଜବୋଳା ଲାଜ ତର ତର

କେତକୀ କନିଆଁ ଚଇତେ ଫୁଟେ ।

ଫୁଟେ ଏ ଜୀବନେ ଯଉବନ ଫୁଲ

ମଲା ଅତୀତକୁ ପାଦରେ ଦଳି

ବାରିତଳେ ଫୁଟେ ପହିଲି କରି ଗୋ

ସହି ସୁନାଗୋରୀ କେତକୀ କଳି ।

ଯାଜପୁର, ୧୯୫୧

Image

 

ଶାରଦୀୟା

 

ସିଲ୍‌କ ଉପରେ ତୂଳି ମୋ ଚଳାଇ ନିଏ

ପାଣି ପାତ୍ରରେ ଧବଳ ଜିନିଆ ଫୁଟେ

ଅଶିଣର ଏଇ ମଧୁର ଅତ୍ୟାଚାରେ

ଜୀବନ ଗତି ମୋ ସୁରଭିତ ହୋଇଉଠେ ।

ଶରତ ଆସିଚି ଶ୍ୟାମଳ ବନାନୀ ଶିରେ

ଡାଳେ ଡାଳେ ତାର ଅଭିନନ୍ଦନ ଧରି

ଦିଗ୍‌ବିଦିଗରେ ଧବଳ ପରଶ ଦେଇ

ଶତ ଶତଦଳେ ଅଞ୍ଜଳି ପଟ ଭରି ।

ଆଗମନୀ ତା’ର ସୁଷମା ବରଷି ଯାଏ

ଘାସେ ଘାସେ ଯାଏ ପାତଳ କାକର ବୋଳି

ଆକାଶେ ଫୁଟାଏ ରଜନୀଗନ୍ଧା କେତେ

ଧରାରେ ହସାଏ ସଜଳ ଜାରୁଲ୍ ତୋଳି ।

ସୁନା ଝରି ଡାଳୁଁ ସୁନା ଖାଲି ଖସିପଡ଼େ

ସରୁ ସରୁ ଘାସେ ଘୁରି ଘୁରି ବୁଲେ ବଣି

ଗଙ୍ଗଶିଉଳି ମୁଠି ମୁଠି ଫୁଲ ଛାଟେ

ଶରତ ଆସିଚି ଲକ୍ଷ ହୃଦୟ ମଣି !

ଭଭା ଅଶିଣର ଝରା ଘୁଙ୍ଗୁର ତାଳେ

ସେ ଆଜି ନାଚୁଚି ଶତ-ଛନ୍ଦର ରାଣୀ

ସେ ପରା ଗାଉଚି ଚମ୍ପୂ ଚପଳ ଗୀତ

କଣ୍ଠେ ତାହାର କୋଟି ପାର୍ବଣ ବାଣୀ ।

କଟକ, ୧୯୫୭

Image

 

ସଂଗୀତା

 

ତମେ ଥିଲ ସଖି ରସ-ହାସ-ହୀନ

ଗୁରୁ ଗମ୍ଭୀର ଗଦ୍ୟ,

ପରାଣ ପାତ୍ରେ ଭରିଲ କିପରି

ତରଳ ପୀରତି ମଦ୍ୟ ?

ମୃତ ତଟିନୀର ଋକ୍ଷ ବାଲିରେ

ଧୋଇଲ କିପରି ଅଶ୍ରୁ-ସଲିଳେ

କେଉଁପରି କଲା ତନୁ ଜର୍ଜର

ଅତନୁ ବିଶିଖ ସଦ୍ୟ

ତମେ ଥିଲ ସଖି ରସ-ହାସ-ହୀନ

ଗୁରୁ ଗମ୍ଭୀର ଗଦ୍ୟ !

ତମେ ତ ନଥିଲ ରୂପର ପସରା

କେଳି ସରସୀର ପଦ୍ମ,

ଛାଡ଼ିଥିଲ ତମେ ସଂସାର ସୁଖ,

ତମେ ଭୁଲିଥିଲ ସଦ୍ମ ।

ଭାବୁଥିଲ ତମେ ସାରା ଜୀବନଟା

ଲାଗି ରହିଥାଏ ଜଂଜାଳ ଘଟା

ନୀତି-ଅନୀତିରୁ ଦୂରରେ ରହିବା

କେବଳ ହିଁ ଅନବଦ୍ୟ ।

ତମେ ଥିଲ ସଖି ରସ-ହାସ-ହୀନ

ଗୁରୁ ଗମ୍ଭୀର ଗଦ୍ୟ !

ସଂସାର ପଥେ ତମେ ଚାଲିବାକୁ

ଆଜି କର କେତେ ଯତ୍ନ

ହୃଦୟର ପୁରେ ପାଇପାରିଚ କି

ଦେବ-ଦୁର୍ଲଭ-ରତ୍ନ ?

କେଉଁ ଗଉରବେ ହୋଇ ଗରବିଣୀ

ଲଳିତେ ଗାଉଚ ନବୀନ ରାଗିଣୀ

ତମ କାମନାର କୀର୍ତି ପରାଏ

ଲେଖାଉଚ କେତେ ପଦ୍ୟ ।

ତମେ ଥିଲ ସଖି, ରସ-ହାସ-ହୀନ

ଗୁରୁ ଗମ୍ଭୀର ଗଦ୍ୟ !

କାମାକ୍ଷାନଗର, ୧୯୬୧

Image

 

ରୋମନ୍ଥନ

 

ମନେ ପଡ଼େନାହିଁ ସେ ଦିନର ସେଇ ତାରିଖ

ମନେ ପଡ଼େନାହିଁ ସେ ଦିନର ତିଥି ବାର ଗୋ,

ଝରା କେତକୀର ଝୁରୁ ଝୁରୁ ବାସ ପରାଏ

ଫିକା ସ୍ମୁରୁତିରେ ଚିତ୍ତ ମହକେ ମୋର ଗୋ ।

ବହୁତ ଦିନର କଥା ହୋଇଲାଣି ସିଏତ

ଏଇପରି ଦିନେ ଛାଇଲେଉଟାଣି ଲଗନେ,

ଅଫିସ୍ ବାହୁଡ଼ା କ୍ଳାନ୍ତ ଶରୀରେ ସଜାଡ଼ି

ଆସିଥିଲି ତମ ସେନେହ ସାଉଁଳା ଭବନେ ।

ତମ ଅଗଣାର ବହଳ ମାଳତୀ ଲତାରୁ

ସୁରଭି ସମୀର ସୃଜୁ ଥିଲା ଦେହେ ବେପଥୁ

କ୍ଳାନ୍ତ ମନରେ ବୋଲୁଥିଲା ମୃଦୁ ଆବେଶ

ତମର ଚରଣ ଛନ୍ଦ ଶୁଭିଲା ନେପଥ୍ୟୁ

ତାହାପରେ ତାହାପରେ ଖୁସି ଗପ ଆଳାପ

ଛୋଟ ଛୋଟ କଥା, ହାଲୁକା ମନର କୂଜନ,

କଫି ପିଆଲାରେ ଶୁଖିଲା ଓଠର ପରଶ

ଗୁରୁ ବାମ୍ଫରେ କାଉଁରୀ କଳାର ସୃଜନ ।

ଗୋଟି ଗୋଟିକରି ତମେ ଦେଖାଇଲ ସେ ଦିନ

କିମିତି କରିଚ ଉଜାଡ଼ି ସକଳ ସରଧା

ସବୁଜ ଉପରେ କେବଳ ଧଳାର ସୀବନ

ସବୁ ଚିଜ ତୁଲେ ତମ ହାତ ବୁଣା ପରଦା ।

ରୂପମୁଗ୍‌ଧ ମୁଁ ସାଗ୍ରହେ ତୋଳି ଦେଖିଲି

ଧାଡ଼ି ଧାଡ଼ି ଧାଡ଼ି ଖାଲି ଗୁର୍ଜର ମହିଳା

ମଥାରେ ଓଢ଼ଣୀ କାଖରେ କଳସୀ ବିଳସେ

ଚରଣ ଛନ୍ଦେ ମନ ମୋହିନିଏ ଛଇଳା ।

ମନେପଡ଼େ ମୋର ସେ ଦିନର ସେଇ ଲଗନେ

ତମ ସୁନା ଧୁଆ ଆଙ୍ଗୁଳି କାରୁ କାମର

ପ୍ରଶଂସା କରି ଉଠିଲି ଯେବେ ମୁ ପଲକେ

ଅତି ବିନୟରେ ଆଖି ନୋଇଁ ଦେଲ ତମର ।

ତମରି ଏ ଘର ଭଡ଼ାନେଇ ଏବେ ଦେଖୁଚି

ବୈଠକଖାନା ଗୋଟିଏ କୋଣରେ କେତେକ

ଅଳିଆ କାଗଜ ଛିଡ଼ା କନା ତୁଲେ ପଡ଼ିଚି

ସେ ଦିନର ତମ ଆଦରର ଧନ ଯେତେକ ।

ସେ ଦିନର ସେଇ ସବୁଜ ଓ ଧଳା ପରଦା

କୁତୁ କୁତାହୋଇ ଜମାଟ କରିଚି ଅଳିଆ

ଧୂଳି ମଳି ଜମି ଅଳନ୍ଦୁ ଅସନା ହୋଇଚି

ସୀବନ ଶିଳ୍ପେ ଦିଶୁଛି କୋଚଟ କାଳିଆ ।

ଜାଣିନାହିଁ ତମେ ହେଲ କାହା ଘର ଭୂଷଣ

କେତୋଟି ପିଲାର ମାଆ ହେଲ ସତେ କେଜାଣି ?

ସବୁ ହାନିଲାଭ ସବୁ ଜଂଜାଳ ଭିତରେ

ମନର ଲହରୀ ବହେନିକି କେବେ ଉଜାଣି ?

ମୁଁ ଭୁଲିଚି ସବୁ ନାମ ଧାମ ତମ ଏବେ ଗୋ

ସବୁ ସବୁଜିମା ଜୀବନ ଯୁଦ୍ଧ ଭିତରେ,

ପାଲଟିଗଲିଣି ଧୂସରୁ ଧୂସରତମ ଗୋ,

ଚହଲେ ନାଁ ମନ ଖରା, ବରଷା ଓ ଶୀତରେ ।

କଟକ, ୧୯୫୯

Image

 

ବସନ୍ତେ ବିଳାପ

 

ଗୋଟିଏ ଦିନର ପରମାୟୁ ଘେନି

ଫୁଟିଲା ସିଏ,

ଭରା ଫଗୁଣର ଉଦ୍ୟାନ କୋଳେ

କଳିକାଟିଏ ।

ଚନ୍ଦ୍ରମା ଦେଲା ମୟୁଖ ମାଧୁରୀ

ତାହାର ମୁହେଁ,

ନନ୍ଦନ ବନ ପାରିଜାତକ ସେ

ମାଟିର ନୁହେଁ ।

କିଂଶୁକ ହସି କହିଲା ମୁଁ ତା’ର

ଅଧର ନାଲି,

କହିଲା ଚମ୍ପା ତନୁରେ ଦେଲି ତା’

ବରଣ ଢାଳି ।

ଅଶୋକ ତାହାର ମନ ମନ୍ଦିରୁ

ଶୋକ ଭୁଲାଇ,

କଅଁଳ ପତରେ ପାଦ ଓ ପାପୁଲି

ଦେଲା ସଜାଇ ।

ଡୋଳାରେ ଡୋଳାରେ କାଳିମା ଲେପିଲା

କଜଳପାତି

ନୂତନ ମଳୟ ମଧୁର ଛନ୍ଦେ

ଉଠିଲା ମାତି,

ଫଗୁଣର ସବୁ ସୁଷମା ନିଗାଡ଼ି

ଫୁଟିଲା ଯିଏ,

କହିପାରିବ କି କାହା ଅଭିଶାପେ

ଝରିଲା ସିଏ ?

ଲବଣୀ କଳିକା ଲୁହ ବନ୍ୟାରେ

ଗଲା ମିଳାଇ,

ଆସିଥିଲା ସବୁ ଜଂଜାଳ ଘେନି

ଦିନକ ପାଇଁ ।

ସେତିକି ଭିତରେ ଅତି ଆପଣାର

ପରାଏ ସିଏ,

ଜୀବନର ସବୁ ସମ୍ଭୋଗ ଶିରୀ

ଉଜାଡ଼ି ନିଏ ।

ନିତି ମୁଁ ଦେଖୁଚି ଲୀଳାରତ କେତେ

ଶିଶୁର ଦଳ,

ଅତୁଳ ଆବେଗେ ଉଲୁସାଇ ଦିଏ

ଧରଣୀ ତଳ

ଆଖିରେ ଆଖିରେ ଚମକାଇ ଦିଏ

ତଡ଼ିତ ଲତା

ଦରୋଟି ବଚନେ ବୁଣିଯାଏ କେତେ

କଅଁଳ କଥା ।

ହସିଲେ ହସଇ କୋଟି ଫୁଲ ଧରି

ଧରଣୀ ରାଣୀ,

ଗୀତ ଗାଉ ଥିଲେ ଝରଣା କଣ୍ଠୁ

ଫୁଟଇ ବାଣୀ

ଏସବୁ ଭିତରେ ଅସମୟେ କିଆଁ

ସେ ପ୍ରିୟ କଢ଼ି

ଆପଣା ସୁବାସେ ଆକୁଳ ନକରି

ପଡ଼ିଲା ଝଡ଼ି ?

ସେ ଫଗୁଣ ଫୁଲ ଆଉତ ହସୁନି

କରୁନି ଗୋଳ

ବୁଝିବି କିପରି ଚାଲିଗଲ କରି-

ଶୂନ୍ୟ କୋଳ !

ଯେତେ ବୁଝାଇଲେ ଅବୁଝା ମାନସ

ବୁଝଇ ନାହିଁ

ଜନ-ବନାନୀରେ ବିଳପି ଉଠଇ

ତାହାରି ପାଇଁ ।

ଆଜି ଏ ଅଶୋକ ଆଜି କିଂଶୁକ

ଅରୁଣ କଳି ।

ଦେଖିଲେ ମୋ ମନ ଶ୍ୟାମ ଉପବନ

ଯାଉଚି ଜଳି ।

ଫଗୁ ସଂଗୀତ ଗାଇବାକୁ ଏବେ

ଲାଗଇ ପିତା,

ମଳୟ ମୋ ପାଇଁ ଜଳାଇ ଦେଇଚି

ପ୍ରଳୟ ଚିତା ।

ଅନୁଗୋଳ, ୧୯୬୨

Image

 

ଅଶ୍ରୁ

 

ହେ ମୋର ଅଶ୍ରୁ-

ଉଦ୍‌ଗତ ଲୁହ କହିକି ପାରିବ ତମେ

ଜୀବନରେ ଯେତେ ବ୍ୟର୍ଥ ବେଦନା ଜମେ ?

ଜୀବନର ଯେତେ ଅର୍ଥ ବିହୀନ ଆଶା

ତୁମରି କଣ୍ଠେ ତୋଳିଚି କି ସିଏ ଭାଷା ?

ତୁମ ଉତ୍ତାପେ ପ୍ରଦୀପ କି ତା’ର ଜଳେ,

ପାବନ ହୋଇଚି ତୁମରି ପୂଣ୍ୟବଳେ ?

ତୁମ କଣ୍ଠର ପଦ୍ମତୋଳାରେ ଭୁଲି

ଶିରାରେ ଶିରାରେ ନାଗିନୀ ଖେଳିଚି ବୁଲି ?

ଦୁର୍ବଳ ମନ ନିର୍ବଳ ପରକାଶ

ପଥ ଖୋଜୁଥିଲା କେତେ ଯେ ବର୍ଷ ମାସ,

ସଂଜ ସକାଳେ ଶତ ଜଂଜାଳ କୋଳେ

ବନ୍ଧୁର ପଥେ ପ୍ରୀତି କନ୍ଦୁକେ ଭୋଳେ,

ଆଜି ସେ ପଡ଼ିଚି ଉଚ୍ଛଳ ଧାରେ ଝରି

ଆଜି ସେ ଫୁଟିଚି ତରଳ ମଲ୍ଲୀପରି ।

ହେ ମୋର ଅଶ୍ରୁ, ନୟନ ଶୁକ୍ତି ଭରି

ଉଜ୍ଵଳ ତୁମେ ସ୍ଵାତୀର ମୁକ୍ତାପରି ।

ଶାନ୍ତି ନିକେତନ, ୧୯୫୪

Image

 

କହି ପାରିବକି

 

କଳା ମଚ ମଚ କୋଇଲା କରୁଚ ଜମା

ତମେ ଯିଏ ଯେତେ କୋଇଲା ଖଣିରେ ପଶି

ହାତୁଡ଼ି ସାବଳ ସବଳ ହସ୍ତେ ଧରି

ପାତାଳ ପୁରୀରେ ସଂଗ୍ରାମ କର ହସି ।

ତମେ ସବୁ ଜାଳ ଆଲୋକର ଦୀପ ଶିଖା

ଅନ୍ଧକାରର ଗଭୀର ଗହ୍ଵରରେ

ଢାଳିଦିଅ ଖାଲି ସଚଳ ଜୀବନ ଧାରା

ପ୍ରତିପାଦ ପାତେ ସଯୋରେ ଦର୍ପଭରେ ।

ଧନ ଦଉଲତେ ଦୁନିଆ ଉଛୁଳି ପଡ଼େ

ତମ ପେଟଭରି ମିଳେନାହିଁ ଖାଲି ଗ୍ରାସ,

ଧରାରେ ଜୀବନ ମୂଢ଼ ଅସହାୟ ବୋଲି

ଅତଳ ପାତାଳେ କଟାଅ ବର୍ଷ ମାସ ?

ପ୍ରଷ୍ଫୁଟ ତମ ଯଉବନ ଶତଦଳ

ଏଇ ନର୍କରେ ନର୍କ ଗଲାଣି ହୋଇ

ଜୀବନର ଯାହା ହାସ, ରାସ, ରସ ଥିଲା

କର୍ମ ଜୁଆର ସବୁତ ନେଲାଣି ଧୋଇ ।

ଏଇ ଅନ୍ଧାର ଆଲୋକିତ କର ତମେ,

ତମ ଜୀବନର ଗ୍ରନ୍ଥ ଦେଖିଚ କାହିଁ–

ଆଲୋକ ସ୍ପର୍ଶ ଲଭିଅଛି ଭଲ କହ

ହସିଲାଣି କେବେ ସୂର୍ଯରେ ଅବଗାହି ?

ତମ ପ୍ରିୟତମା ସନ୍ତୁଳି ହୁଏ ରୋଗେ

ସନ୍ତାନ ପେଟେ ହେଲାଣି ପିଳେହି ଭାରି,

ତମ ମାତା ବସି ଅନ୍ଧୁଣୀ ବୁଢ଼ୀପରି

ଭୂଇଁ ଅଣ୍ତାଳି ଲୋତକ ଦିଅଇ ଝାରି ।

ତମ ଚୁଲି ଚାଳ ସମ୍ଵାଦ ରଖିବାକୁ

ସମୟ କେଉଁଠି ମିଳୁଚି ଟିକିଏ ପରା ?

ସହର ତଳିର ବସ୍ତୀ ଜୀବନେ କେବେ

ଫୁର୍‌ସେତ୍ ନାହିଁ ପିଠି ଖୋଇବାକୁ ଖରା !

କୋଇଲାରୁ ବଳି ଆହୁରି ଗଭୀର କଳା–

ରାତ୍ରିଚରର କବଳ ଭିତରେ ଏବେ

ତମ ସ୍ଵତ୍ଵର ସ୍ଵର୍ଣ-କଳସ ଅଛି;

କହି ପାରିବକି ମୁକ୍ତି ପାଇବ କେବେ ?

ତାଳଚେର, ୧୯୬୩

Image

 

ଶୂନ୍ୟ ଘଟ

 

ପାହିଲା ପହରେ ଯେଉଁ ତାରା ଫୁଲ

ଝରିଲା ଧରଣୀ ପରେ

ସେ ତ ଜାଣିନାହିଁ ଏ ମୋର ମରମ କଥା,

ଦୂର ପାହାଡ଼ର ସୁନ୍ଦର ଶିରୀ ଦିଶିଲା ଚତ୍ରବାଳେ

ମେଲି ପାରିଲାନି ବକ୍ଷର ବ୍ୟାକୁଳତା ।

ତୂଳି ତଳୁ ମୋର କାଳି ଝରିଯାଇଁ

ହସାଇଲା ଶତଦଳ,

ମଧୁ ସୌରଭ ତିଳେ ପାରିନାହିଁ ଢାଳି

ସପନର ନଈ ଆତୁରେ ଯେ ଗଲା ଛୁଟି

ହଜିଗଲା ସିଏ ଜୀବନ ମରୁରେ ଖାଲି ।

ମନରେ ଯା’ଅଛି ଜୀବନରେ ନାହିଁ ତାହା

ନାହିଁ ତା ଚାତୁରୀ ଏମୋର ମର୍ମ-ପୁରେ,

ଆଜି ମୁଁ ଭୁଲିଚି ଗତିର ଛନ୍ଦ ମୋର

ଏଣୁ ମୁଁ ରହିଚି ସୃଷ୍ଟିରୁ ବହୁଦୂରେ ।

ମୋର ମନ୍ଦିରେ ତମ ନିରାଜନା ପାଇଁ

ପୂର୍ଣ୍ଣ କଳସ ଥାପିଥିଲି ଦିନେ ଯାହା

ଶୁଖି ଗଲାଣି ତା ଚୂତ ପଲ୍ଲବ

ଶୁଖିଲାଣି ସେ ରସ,

ଆଜି ଦେଖୁଅଛି ଶୂନ୍ୟ ପଡ଼ିଚି ତାହା ।

ନିତି ସକାଳର ରସ, ହସ, ଉତ୍ସବ

ବହି ପାରୁନାହିଁ ଅନ୍ତର ଗୌରବ ।

ଚମ୍ପତ୍ତିମୁଣ୍ତା, ୧୯୫୫

Image

 

ସୂର୍ଯମୁଖୀ

 

(କବି ପଦ୍ମଚରଣ ବିୟୋଗେ)

ଏ ଉପବନରେ ତୁମେ ଫୁଟିଥିଲ

ତୁମେ ଉଠିଥିଲ ଜାଗି,

ପ୍ରଭାତ ରବିର ଅଭିନନ୍ଦନ ଲାଗି ।

ତୁମ ପାଖୁଡ଼ାରୁ ପଡ଼ୁଥିଲା ଖସି

ଶତବର୍ଗର ଉଜ୍ଵଳ ମସୀ,

ତୁମେ ଫୁଟିଥିଲ ଆଶା ମଞ୍ଜରୀ ଭଳି

ଅନିବାର ଶିଖା ତୁମେ ଉଠିଥିଲ ଜଳି–

ଘନ ଅନ୍ଧାର ଦଳି ।

ଧଉଳି କହିଲା ଖୋରଧା କହିଲା ଡାକି

ଦୁର୍ଗତିର କି ଆଉ କିଛି ଅଛି ବାକି ?

ପାଇକ ପ୍ରଧାନ ଆଜି ମଜୁରିଆ କୁଲି

ପେଟ ପାଇଁ ଯାଏ ବର୍ମା-ଆସାମ ବୁଲି;

ଗାଲମୁଚା ତାର ଆହୁରି ପକ୍ଵ ହୁଏ

ତଥାପି ଏ ଜାତି ସବୁରି ପାଖରେ ନୁଏଁ ।

ତ୍ରିବେଣୀ ଯାଇଚି, ଯାଇଅଛି ଗଜପତି

ମାଟିରେ ମିଶିଚି ଏଜାତି ଗର୍ବନତି;

ଓଡ଼ିଆ ହୋଇଚି ସବୁଠାରେ ଦୀନ-ହେୟ

ଲାଞ୍ଛନା ତାର ଜୀବନେ କେବଳ ଶ୍ରେୟ ।

ସେଥିପାଇଁ କଣ ହେ ସୂର୍ଯମୁଖୀ

ଉର୍ଦ୍ଧେ ରହିଲ ଚାହିଁ

ପୂର୍ବ ଆକାଶୁ ଆଲୋକ ଅର୍ଘ ପାଇଁ ?

ଅସୀଠାରୁ ମସୀ ବଳବାନ ଭାବି

ତୁମେ ଯାହାଦେଲ ଦାନ

ତାର ପ୍ରତିଦାନେ ଏ ଜାତି ଦେଲା କି

ତୁମ ପାଦେ ସନମାନ ?

ତୁମ ଯିଏ କବି ଜାତୀୟ ଗର୍ବ

ଗଉରବ ଗାଥା ଗାଇ,

କୋଟି ତରୁଣରେ ଡାକ ଦେଇଥିଲ

ଜାଗରେ ମୋ ଦେଶ ଭାଇ,

ତୁମର ଏ ମହା-ଯାତ୍ରା ଲଗନେ

ଶବବାହୀ ଯିବାପାଇଁ

କେହିତ ମିଳିଲେ ନାହିଁ !

ଏ ଦେଶର ଯେତେ ଖବର କାଗଜ

ନେତାର ଜନ୍ମଦିନ

ପାଳନରେ ହେଲେ ଲୀନ;

ତୁମପାଇଁ ଲୁହ ନିଗାଡ଼ିବା ଲାଗି

ଇଞ୍ଚେ ନଥିଲା ଥାନ

କବିର ଏ ପ୍ରତିଦାନ !

ତୁମେତ ନଥିଲ ଜାତି ନୀୟାମକ,

ଜାତିର ଧର୍ମବକ

ଖଦ୍‌ଡ଼ଧାରୀ ଠକ;

ସେଥିପାଇଁ ଏଇ ଉଦ୍ୟାନ କୋଳେ

ଅନ୍ଧାରେ ଗଲ ଝରି–

ସଂଧ୍ୟା ଲଗନେ ସୂର୍ଯମୁଖୀଟି ପରି ।

ଚମ୍ପତ୍ତିମୁଣ୍ତା, ୧୯୫୫

Image

 

ରାମ-କୃଷ୍ଣ

 

ରାମ-କୃଷ୍ଣକୁ ଭେଟିଚକି କିଏ କହ

ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି

ବିଶ୍ଵ ତ ଆଜି ହୋଇଉଠେ ଦୁର୍ବହ

ଦେଖିଚ କି କିଏ କହ ?

ମାଟି ମର୍ତର ରାମ-କୃଷ୍ଣକୁ

ମଣିଷ ଖୋଜୁଚି ପରା–

କଳା ଧଳା ବେନି ବର୍ଣରେ ମାଜି

ଜୀବନ ଚିତ୍ର ପଟ

ରଙ୍ଗାଇବାକୁ ରଙ୍ଗାଜୀବ ଏ

ମାଟିର ମଣିଷ ଚାହେଁ

ପ୍ରାଣ-ପ୍ରାନ୍ତରେ ମଣିଷ ପଣିଆ

ଯେଉଁଠାରୁ ହୁଏ ଧରା ।

ପ୍ରୀତି ପାତ୍ରରୁ ଶୁଭ୍ର ସରସ

ଶୁକ୍ଳିମା ତୋଳି ନେଇ

ସାଥିରେ ତାହାର କଜ୍ଜଳମସୀ ଦେଇ

ଆଜିର ଦୁନିଆ ଗଢ଼ିବାକୁ ଚାହେଁ

ଶାନ୍ତି କପୋତ ତା’ର

ମାନବିକତାର ପୂର୍ଣ ବିକାଶେ

ପୂର୍ଣ ଯେଉଁଠି ଜୀବନ ସିଂହଦ୍ଵାର ।

ରାମ ଓ କୃଷ୍ଣ ଆଜି ଯାଏ ପରା

ଅଲଗା କରିଚି ବସା;

ଶକୁନୀ ମନ୍ତ୍ରୀ

ନିପୁଣ ତନ୍ତ୍ରୀ

ଯୁଧିଷ୍ଠିରର ସଙ୍ଗେ ଖେଳୁଚି ପଶା–

ମଣିଷ ମନରେ ଦୈତ ବାନ୍ଧିଚି ବସା ।

ସେନେହ, ସରାଗ, ସହାନୁଭୂତିକୁ

ପଶୁ ହାତେ ଦେଇ ବଳି

ଗୋଟାଏ ମଣିଷ ଦିଶେ ଆଜି ଦୁଇ ଭଳି;

ଉପରେ ଉପରେ ବାହାରକୁ ରାମ ସାଜି

ମିଠା ମିଠା କଥା ଦୁଇ ପଦ ଓଠେ ମାଜି

ଅନ୍ତରେ ଭରି କଳା କୃଷ୍ଣର ବୁଦ୍ଧିର ଶତ ଖେଳ

ଲକ୍ଷ ଯୋଜନ ଜାଳି ପୋଡ଼ି ଦେଇ

ସର୍ଜନା କରେ କୁରୁକ୍ଷେତ୍ରର ଶେଳ ।

ମାଟିର ମଣିଷ ପୂଣ୍ୟ ମଣିଷ

ଏ ମୋର ମଣିଷ ଜାତି,

କ୍ରାନ୍ତିର କୋଳେ କାଙ୍ଗାଳ ସମ

ଶାନ୍ତି ଖୋଜଇ

ହିଂସା ସମରେ ମାତି ?

ନର ରକ୍ତର ଜୁଆର ଛୁଟାଇ

ଅଶ୍ରୁ ତୋଫାନ ସୃଜି

କେହି ରହିନାହିଁ ବିଶ୍ଵ ବୁକୁରେ

ଶାନ୍ତିରେ ଆଖି ବୁଜି,

ଇତିହାସ କହେ ଦାରୁଣ ଦଫା ତା’

ନିରାଟ ଇସ୍ତାହାର-

ଏକକୁ ଆରେକ ଦବାଇ ରଖିବା

ସଭ୍ୟତା ନାମେ ନିର୍ଲଜ କାରବାର ।

ସୃଷ୍ଟିର ସବୁ ଜୀବନ ସତ୍ତା

ସ୍ନେହ ସଦ୍‌ଭାବ କାହିଁ–

ରାମ ଓ କୃଷ୍ଣ ଏକାଠି ଦେଖିବା ପାଇଁ

କଥାରେ କଥାରେ ଶାନ୍ତି କପୋତ ତଳେ

ଖୋଜା ଚାଲିଅଛି ବିଶ୍ଵର ପଥେ ପଥେ

ରାମ କୃଷ୍ଣକୁ ଦେଖିଚକି କିଏ କାହିଁ ?

ଶାନ୍ତି ନିକେତନ, ୧୯୫୧

Image

 

କବି ମୁଁ ରଙ୍ଗାଜୀବ

 

ଝୁଲି ଝୁଲି ହସେ ରସର ମଲ୍ଲୀ

ପ୍ରୀତିବଲ୍ଲରୀ ଚୂଳେ

ସଉରଭ ତାର ମର୍ମରି ଉଠେ

ଏ ମୋର ମର୍ମ ମୂଳେ ।

ଗୋଟିଏ ପାଖରୁ କଲମ ଡାକଇ

ଅପର ପାଖରୁ ତୂଳି

କହ ହେ ବନ୍ଧୁ କାହାର ଡାକରା

କେଉଁପରି ଯିବି ଭୁଲି ?

କାହାରେ ଦେବି ଏ ବୁକୁର ରକ୍ତ

ଜୀବନର ଯାହା ଦେୟ,

କିଏ ସେ ହୋଇବ ମୋ ମନମୋହିନୀ

କିଏ ସେ ହୋଇବ ହେୟ ?

ମୁଁ ଶୁଣଇ ପରା ନିର୍ବାକ ଏଇ

ବିଶ୍ଵ ଭୁବନ ଭରି

କେତେ ଅନିବାର ଆତୁର କଣ୍ଠ

ଅହରହ ଉଠେ ଥରି ।

ଅଶ୍ରୁତ ସେଇ ବାଣ-ହିଲ୍ଲୋଳେ

ଦେବାକୁ ଅତୁଳ ସୁରୁ

କଲମ ନିଗାଡ଼ି କବିତା ଲେଖଇ

ମରମ ବେଦନାତୁର ।

ମୁଁ ପୁଣି ଦେଖଇ ଅନ୍ଧକାରର

କଳା ଯବନିକା ତଳେ,

ସପତ ବର୍ଣି ସପତ ପର୍ଣି

ରୂପର ରଶ୍ମି ଝଳେ ।

ଅମୂର୍ତ ସେଇ ବାଣୀ ହିଲ୍ଲୋଳେ

ଦେବାକୁ ବିପୁଳ ଶିରୀ

ତୂଳି ମୁନ ମୋର ରଙ୍ଗିମକରେ

ତାରୁଣ୍ୟ ବୁକୁ ଚିରି ।

ଅଶ୍ରୁତ ଆଉ ଅମୂର୍ତ ଯେତେ

ଭାବ ଏ ଭୂବନ-ତାରେ

କେବଳ ମୋ ପାଇଁ ପ୍ରତୀକ୍ଷା କରେ

ପ୍ରଗାଢ଼ ଅନ୍ଧକାରେ ।

କାହାକୁ ତ ମୁହିଁ ଛାଡ଼ି ପାରୁନାହିଁ

କେହି ନୁହେଁ ସାତ-ପର

ଗୋଟିଏ ରସର ବିମଳ ଫଲ୍‌ଗୁ

ଅପର ପ୍ରୀତିର ଝର ।

ଜୀବନର ଶତ ତିକ୍ତ ଆହବେ

ବିଜୟ କେତନ ସମ

ଉଭୟ ମୋହର ବେନି ପାର୍ଶ୍ଵରେ

ଊର୍ମିଳ ମନୋରମ ।

ଉଭୟ ମୋହର ସାଧନାର ଧନ

କବି ମୁଁ ରଙ୍ଗାଜୀବ,

ଉଭୟ ପାଇଁ ମୋ ପ୍ରାଣଅଙ୍ଗନେ

ଲୀଳା ଉପଚାର ଥିବ ।

ଅନୁଗୋଳ,୧୯୬୦

Image